ନୂଆଦିଲ୍ଲୀ : ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ନାଟକୀୟ ଢଙ୍ଗରେ ବଦଳି ଯାଇଛି। ସେ ରୁଷ୍ ରାଷ୍ଟ୍ରପତିଙ୍କ ଉପରେ କେତେ ମାତ୍ରାରେ ରାଗି ଯାଇଛନ୍ତି, ଏହା ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଥର ଦେଖିବାକୁ ମିଳିଛି। ଦିନକ ପୂର୍ବେ ଟ୍ରମ୍ପ କଡ଼ା ଶବ୍ଦରେ କହିଥିଲେ ଯେ, ଯଦି ୫୦ ଦିନ ଭିତରେ ୟୁକ୍ରେନ ବିରୋଧରେ ଯୁଦ୍ଧ ବନ୍ଦ ନକରନ୍ତି ତ ସେ ରୁଷ୍ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗେଇ ଦେବେ। ଏବେ ଖବର ଆସିଛି ଯେ, ଟ୍ରମ୍ପ ରୁଷ୍ ଉପରେ ଆକ୍ରମଣ ଜୋରଦାର କରିବାକୁ ୟୁକ୍ରେନୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କହିଛନ୍ତି।
ଫାଇନେନ୍ସିଆଲ ଟାଇମ୍ସର ରିପୋର୍ଟ ଅନୁସାରେ, ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ନିଜର ପ୍ରଥମ ମତରୁ ଓହରି , ୟୁକ୍ରେନୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ରୁଷ୍ ଉପରେ ଆକ୍ରମଣ ତୀବ୍ର କରାଇବାକୁ ଅନୁରୋଧ କରିଛନ୍ତି। ରିପୋର୍ଟ ମୁତାବିକ , ଟ୍ରମ୍ପ ଜେଲେନସ୍କିଙ୍କୁ ପଚାରିଛନ୍ତି ଯଦି ତାଙ୍କୁ ସଠିକ୍ ମାରଣାସ୍ତ୍ର ଓ ଦୀର୍ଘ ଦୂରଗାମୀ ଅସ୍ତ୍ର ଦିଆଯାଏ , ତ ୟୁକ୍ରେନ କଣ ରୁଷ୍ ଭିତରେ ପଶି ମସ୍କୋ ଓ ସେଣ୍ଟ ପିଟର୍ସବର୍ଗ ଉପରେ ହମଲା କରି ପାରିବ।
ରିପୋର୍ଟ ଅନୁସାରେ , ୪ ଜୁଲାଇରେ ଯେବେ ଟ୍ରମ୍ପ ଜେଲେନସ୍କିଙ୍କ ସହ କଥାବାର୍ତ୍ତା ହୋଇ ଥିଲେ , ସେତେବେଳେ ପଚାରି ଥିଲେ, ଆପଣ କଣ ମସ୍କୋ ଉପରେ ହମଲା କରି ପାରିବେ ? ଆପଣ କଣ ସେଣ୍ଟ ପିଟର୍ସବର୍ଗ ଉପରେ ମଧ୍ୟ ହମଲା କରି ପାରିବେ। ଜେଲେନସ୍କି ଜବାବ ଦେଇଥିଲେ, ନିଶ୍ଚୟ। ଯଦି ଆପଣ ଅସ୍ତ୍ର ଦେବେ ତ ଆମେ ଏମିତି କରି ପାରିବୁ। ସୂତ୍ର ବ୍ରିଟିଶ୍ ଖବରକାଗଜକୁ କହିଛି ଯେ, ଏହି ଉତ୍ତେଜନାପୂର୍ଣ୍ଣ କଥାବାର୍ତ୍ତା ଟ୍ରମ୍ପ ଓ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦିନକ ପୂର୍ବରୁ ହୋଇଥିବା ଉତ୍ତେଜନାପୂର୍ଣ୍ଣ କଥାବାର୍ତ୍ତା ପରେ ହୋଇଥିଲା। ପୁଟିନଙ୍କ ସହ ଉତ୍ତେଜନାପୂର୍ଣ୍ଣ କଥାବାର୍ତ୍ତା ପରେ ଟ୍ରମ୍ପ ତାଙ୍କୁ ଖରାପ କହି ଥିଲେ।
ଜେଲେନସ୍କିଙ୍କ ସହ ଟ୍ରମ୍ପଙ୍କ ଏହି କଥାବାର୍ତ୍ତା ସେତେବେଳେ ହୋଇଛି, ଯେତେବେଳେ ପୁଟିନ ୱାଂଶିଟନ ଦ୍ୱାରା ପ୍ରସ୍ତାବିତ ଯୁଦ୍ଧବିରତି ବାର୍ତ୍ତାରେ ସାମିଲ ହେବାକୁ ସ୍ପଷ୍ଟ ଭାବେ ମନା କରି ଦେଇ ଥିଲେ ଏବଂ ଲଗାତାର ଏହି ମାମଲାରେ ସିଧା ଜବାବ ଦେବାରୁ ନିବୃତ୍ତ ରହିଥିଲେ।
କହି ରଖୁଛୁ କି , ୟୁକ୍ରେନ ଓ ରୁଷ୍ ଗତ ତିନି ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଲଢୁଛନ୍ତି। ଟ୍ରମ୍ପ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବା କ୍ଷଣି ୟୁକ୍ରେନ ଉପରେ ଲଗାମ ଲଗେଇବାକୁ ଚେଷ୍ଟା କରି ଥିଲେ ଏବଂ ୟୁକ୍ରେନକୁ ନିଜର ସାମରିକ ସହାୟତାରେ ମଧ୍ୟ ହ୍ରାସ କରିଥିଲେ ଏବଂ ଅନ୍ୟପଟେ ସେ ପୁଟିନଙ୍କ ସହ ଯୁଦ୍ଧ ବିରତି ପାଇଁ କୂଟନୀତିକ ପ୍ରୟାସ କରିଥିଲେ। ହେଲେ ଏହା ହୋଇ ପାରିଲା ନାହିଁ।